Unknown

 

 

 

 

 

 

 

 

 

 

 

ମାମୁ

ଫକୀରମୋହନ ସେନାପତି

 

ପରିଚୟ :

ଓଡ଼ିଆ କଥା ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖନୀ ନିସୃତ ଉପନ୍ୟାସଗୁଡ଼ିକ ମଧ୍ୟରେ ‘ମାମୁ’ (୧୯୧୩) ଏକ ଅନନ୍ୟ ଏବଂ ଗମ୍ଭୀର ସାମାଜିକ ରଚନା । ଫକୀର ମୋହନ ଯେତେବେଳେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପାଦ ଦେଇଥିଲେ, ସେତେବେଳେ ଓଡ଼ିଶାର ସାମାଜିକ ଓ ରାଜନୈତିକ ସ୍ଥିତି ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଥିଲା । ‘ମାମୁ’ ଉପନ୍ୟାସଟି ସେହି ସମୟର ଏକ ଜୀବନ୍ତ ଦଲିଲ୍, ଯେଉଁଥିରେ ମଣିଷର ଲୋଭ, ସ୍ୱାର୍ଥପରତା ଏବଂ ସମ୍ପର୍କର ଅବକ୍ଷୟକୁ ‘ମାମୁ’ ଉପନ୍ୟାସରେ ଦର୍ଶାଯାଇଛି ।

ଏହି ପୁସ୍ତକଟି କେବଳ ଏକ କଳ୍ପନାପ୍ରସୂତ କାହାଣୀ ନୁହେଁ, ବରଂ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଶାରେ ଘଟୁଥିବା ସାମାଜିକ ପରିବର୍ତ୍ତନର ଏକ ସ୍ପଷ୍ଟ ପ୍ରତିଛବି । 'ମାମୁ' କହିଲେ ଆମେ ସାଧାରଣତଃ ଜଣେ ସ୍ନେହୀ ଓ ରକ୍ଷାକର୍ତ୍ତା ଅଭିଭାବକଙ୍କୁ ବୁଝୁ, କିନ୍ତୁ ଏହି ବହିରେ ଫକୀର ମୋହନ ଜଣେ ସ୍ୱାର୍ଥପର ଓ କୁଚକ୍ରୀ ମାମୁଙ୍କ ଚରିତ୍ର ଚିତ୍ରଣ କରିଛନ୍ତି । ଜଣେ ବିଶ୍ଵାସୀ ସମ୍ପର୍କୀୟ ନିଜର ସ୍ଵାର୍ଥ ପାଇଁ ଏକ ହସଖୁସିର ପରିବାରକୁ ବିପର୍ଯ୍ୟସ୍ତ କରିଦେଇଥିବାର ଚିତ୍ର ଏହି ପୁସ୍ତକରେ ପ୍ରତିଫଳିତ ।

ଉପନ୍ୟାସର ନାମକରଣ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ବ୍ୟଙ୍ଗାତ୍ମକ । ଜଣେ ଭାଣିଜୀ କିମ୍ବା ଭାଣଜା ପାଇଁ ତାଙ୍କ ମାମୁ ହେଉଛନ୍ତି ଜଣେ ରକ୍ଷାକର୍ତ୍ତା । ଫକୀର ମୋହନଙ୍କ ଏହି ଉପନ୍ୟାସରେ ‘ମାମୁ’ ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛନ୍ତି । ନିଜ ଭଉଣୀର ସମ୍ପତ୍ତିକୁ ହଡ଼ପ କରିବା ପାଇଁ ସେ ଯେଉଁ ଜଘନ୍ୟ ଚକ୍ରାନ୍ତ କରନ୍ତି, ତାହା ପାଠକଙ୍କୁ ସ୍ତବ୍ଧ କରିଦିଏ । ‘ମୁଖାପିନ୍ଧା’ ସମ୍ପର୍କକୁ ପଦାରେ ପକାଇବା ହିଁ ଉପନ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ।

 

ପୃଷ୍ଠଭୂମି :

 

ଊନବିଂଶ ଶତାବ୍ଦୀର ଶେଷବେଳକୁ ଓଡ଼ିଶାରେ ଏକ ନୂଆ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଜନ୍ମ ହେଉଥିଲା, ଯେଉଁମାନେ ସରକାରୀ କଚେରିରେ ଚାକିରି କରି ନିଜକୁ ବଡ଼ ବୋଲାଉଥିଲେ । କଟକ ସହର ତତ୍କାଳୀନ ଶାସନ ଏବଂ ରାଜନୀତିର କେନ୍ଦ୍ର ଥିଲା ।

 

ସେହି ସମୟର ସାମାଜିକ ବ୍ୟବସ୍ଥାରେ ଗୋଟିଏ ପଟେ ପାରମ୍ପରିକ ଜମିଦାରୀ ପ୍ରଥା ଲୋପ ପାଉଥିଲା ଏବଂ ଅନ୍ୟପଟେ ନଟବର ଦାସଙ୍କ ଭଳି ଚତୁର ‘ଅମଲା’ ବା କିରାଣି ଶ୍ରେଣୀର ଉଦୟ ହେଉଥିଲା । ଏହି ନୂତନ ଗୋଷ୍ଠୀର ଲୋକମାନେ ଆଇନର ଗଳାବାଟ ଦେଇ ଅନ୍ୟର ସମ୍ପତ୍ତିକୁ କିପରି ନିଜ ନାମରେ କରିନେଉଥିଲେ, ତାହା ଏହି ଉପନ୍ୟାସର ମୂଳ ଭିତ୍ତିଭୂମି । ବହିରେ ନରୀପୁର ଭଳି ଏକ ଶାନ୍ତ ଗ୍ରାମୀଣ ପରିବେଶ ଏବଂ କଟକ ସହରର କଳୁଷିତ କଚେରି ପରିବେଶ ମଧ୍ୟରେ ଏକ ସୂକ୍ଷ୍ମ ତୁଳନା କରାଯାଇଛି । ସମାଜରେ ପରିବର୍ତ୍ତନ ଆସୁଥିଲା, ପୁରୁଣା ମୂଲ୍ୟବୋଧ ଉପରେ ସ୍ୱାର୍ଥପରତା ବିଜୟୀ ହେବାକୁ ଚେଷ୍ଟା କରୁଥିଲା ।

 

ମୁଖ୍ୟ ଚରିତ୍ର :

 

ନଟବର ଦାସ (ମାମୁ): ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର ଏବଂ ମୁଖ୍ୟ ଖଳନାୟକ । ସେ କଟକ କଲେକ୍ଟର ଅଫିସରେ ଜଣେ ସିରସ୍ତାଦାର । ସେ ଅତ୍ୟନ୍ତ ଚତୁର, ଲୋଭୀ ଏବଂ କୁଚକ୍ରୀ । ନିଜ ଭଉଣୀର ସମ୍ପତ୍ତିକୁ ହଡ଼ପ କରିବା ପାଇଁ ସେ ନିଜର ଭାଣିଜୀ ଓ ଭାଣଜାଙ୍କୁ ମଧ୍ୟ ଶୋଷଣ କରନ୍ତି । ସେହି ସମୟର ସ୍ୱାର୍ଥପର ମଧ୍ୟବିତ୍ତ ଶ୍ରେଣୀର ସେ ଏକ ଜୀବନ୍ତ ପ୍ରତୀକ ।

 

ସରସ୍ୱତୀ ଦେଈ: ଚାନ୍ଦମଣିଙ୍କ ଧାଈମା’ । ସେ ଜଣେ ସରଳ, ଧର୍ମପରାୟଣ ଏବଂ ପାରମ୍ପରିକ ଓଡ଼ିଆ ନାରୀ । ଉତ୍ତରରାୟଙ୍କ ନିଧନ ପରେ ନଟବରଙ୍କୁ ବିଶ୍ୱାସ କରିବା ଛଡ଼ା ତାଙ୍କର ଅନ୍ୟ ଉପାୟ ନ ଥିଲା, ଯାହା ତାଙ୍କ ପରିବାରର ଦୁର୍ଦ୍ଦଶାର ମୁଖ୍ୟ କାରଣ ହୋଇଥିଲା ।

 

ଚାନ୍ଦମଣି: ଜମିଦାର ଉତ୍ତରରାୟଙ୍କ ସ୍ତ୍ରୀ ଏବଂ ନଟବରଙ୍କ ଭଉଣୀ । ସେ ଜଣେ ଅସହାୟ ଅଥଚ ନିଷ୍ପାପ ଚରିତ୍ର । ନଟବରଙ୍କ ଚକ୍ରାନ୍ତ ଯୋଗୁଁ ତାଙ୍କୁ ଅନେକ ମାନସିକ ଓ ସାମାଜିକ ଯନ୍ତ୍ରଣା ସହିବାକୁ ପଡ଼ିଥିଲା ।

 

ନରହରି: ଚାନ୍ଦମଣିଙ୍କ ପୁଅ ଏବଂ ଜମିଦାରୀର ପ୍ରକୃତ ଉତ୍ତରାଧିକାରୀ । ସେ ଜଣେ ନାବାଳକ ଭାବେ ନିଜ ମାମୁଙ୍କ କୁଚକ୍ରାନ୍ତର ଶିକାର ହୋଇଛନ୍ତି ।

 

ଚିତ୍ରକଳା: ନାଜରାଣୀଙ୍କ ଚାକରାଣୀ । ସେ ନଟବରଙ୍କ ପରି ସ୍ୱାର୍ଥପର ଏବଂ ସମ୍ପତ୍ତି ଲୋଭୀ । ସେ ପ୍ରତ୍ୟେକ କୁକର୍ମରେ ନଟବରଙ୍କୁ ସାହାଯ୍ୟ କରିଛନ୍ତି ।

 

ଏହା ବ୍ୟତୀତ ଉପନ୍ୟାସରେ ଅନ୍ୟ ଚରିତ୍ରମାନେ ମଧ୍ୟ ରହିଛନ୍ତି । ଜଣେ ସଚ୍ଚୋଟ ଓ ଧାର୍ମିକ ମାରୱାଡ଼ି ବ୍ୟବସାୟୀ ପ୍ରଭୁଦୟାଲ ବେପାରୀ ସରସ୍ୱତୀଙ୍କ ପରିବାରକୁ ନ୍ୟାୟ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ନଟବର ଦାସଙ୍କ ଅନୁଗତ କର୍ମଚାରୀ ରଘୁ ମହାନ୍ତି ନଟବରଙ୍କ ଜମିଦାରୀ ପରିଚାଳନା କରନ୍ତି ଓ ଚକ୍ରାନ୍ତରେ ସାହାଯ୍ୟ କରନ୍ତି । ବିଶାଖା ଦେଈ ସମାଜର ରକ୍ଷଣଶୀଳତା ଓ ଗ୍ରାମୀଣ ଚଳଣିକୁ ପ୍ରତିଫଳିତ କରନ୍ତି । ଜମିଦାରଙ୍କ ଦାସୀ କଦମ୍ବ ଘରର ଆଭ୍ୟନ୍ତରୀଣ ଖବର ରଖନ୍ତି । ଉପନ୍ୟାସରେ ଅନେକ ଛୋଟ ଛୋଟ ଚରିତ୍ର ଦେଖିବାକୁ ମିଳନ୍ତି । ସେମାନେ ସେହି ସମୟର ଶୋଷଣକୁ ଦର୍ଶାନ୍ତି ।

 

ବିଷୟବସ୍ତୁ :

 

କାହାଣୀଟି ଓଡ଼ିଶାର ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରୁ ଆରମ୍ଭ ହୁଏ । ନରସିଂହପୁରର ଜମିଦାର ଉତ୍ତରରାୟ ଜଣେ ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ପତ୍ନୀ ଚାନ୍ଦମଣି ଜଣେ ଆଦର୍ଶ ଓଡ଼ିଆ ନାରୀ, ଯିଏ ନିଜର ସଂସାର ଓ ସମ୍ପର୍କକୁ ଅତି ଭଲ ପାଉଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଥିଲେ—ନରହରି ଏବଂ ଶ୍ରୀହରି । ପରିବାରଟି ଅତି ହସଖୁସିରେ ଚଳୁଥିଲା । କିନ୍ତୁ ହଠାତ୍ ଜମିଦାରଙ୍କ ଅକାଳ ବିୟୋଗ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଲା । ସେତେବେଳେ ଚାନ୍ଦମଣି ଅସହାୟ ହୋଇପଡ଼ିଲେ ଏବଂ ନରହରି ନାବାଳକ ଥିବାରୁ ଜମିଦାରୀ ପରିଚାଳନା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନଥିଲେ । ସୁଖର ସଂସାରରେ ଦୁଃଖର ଛାୟା ଘୋଟି ଆସିଲା ।

 

ଏହି ସନ୍ଧିକ୍ଷଣରେ ଚାନ୍ଦମଣିଙ୍କ ଭାଇ ନଟବର ଦାସଙ୍କର କାହାଣୀରେ ପ୍ରବେଶ ହୁଏ । ନଟବର କଟକ କଲେକ୍ଟର ଅଫିସରେ ଜଣେ 'ସିରସ୍ତାଦାର' ଭାବେ କାମ କରୁଥିଲେ । ସେ ଅତ୍ୟନ୍ତ ଚତୁର, ଲୋଭୀ ଏବଂ କୁଟିଳ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଥିଲେ । ଭଉଣୀର ଦୁଃଖରେ ସାହାଯ୍ୟ କରିବାର 'ମୁଖା' ପିନ୍ଧି ସେ ନରସିଂହପୁର ଆସିଲେ ଏବଂ ଧାଈମା’ ସରସ୍ୱତୀଙ୍କୁ ବୁଝାଇଲେ ଯେ ଜମିଦାରୀର ସମସ୍ତ କାଗଜପତ୍ର ଏବଂ ମୂଲ୍ୟବାନ ଅଳଙ୍କାର ତାଙ୍କ ପାଖରେ ରହିଲେ ସୁରକ୍ଷିତ ରହିବ, ନଚେତ୍ ସରକାର ସୂର୍ଯ୍ୟାସ୍ତ ଆଇନ ବଳରେ ସବୁ ନେଇଯିବେ । ଧାଈମା’ ନଟବରଙ୍କୁ ବିଶ୍ୱାସ କରି ସବୁ ଅଳଙ୍କାର ଓ ଦଲିଲ ପତ୍ର ନଟବରଙ୍କ ହାତରେ ସମର୍ପି ଦେଲେ । ଏଠାରେ ସରଳବିଶ୍ୱାସ ଚକ୍ରାନ୍ତ ନିକଟରେ ଆତ୍ମସମର୍ପଣ କରିଛି ।

 

ନଟବରଙ୍କ ଅହଙ୍କାର ଏତେ ବଢ଼ି ଯାଇଥିଲା ଯେ ସେ ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ଭାବୁଥିଲେ । କିନ୍ତୁ ସରକାରଙ୍କ ପାଖରେ ତାଙ୍କର କିଛି ଦୁର୍ନୀତି ଧରାପଡ଼ିଲା । କୋର୍ଟରେ ତାଙ୍କ ବିରୁଦ୍ଧରେ ମାମଲା ଚାଲିଲା । ଯେଉଁ ଜମିଦାରୀ ହଡ଼ପ କରିବା ପାଇଁ ସେ ନିଜ ଭଉଣୀ ଓ ଭଣଜାଙ୍କୁ ଅସମ୍ମାନ କରିଥିଲେ, ସେହି ଜମିଦାରୀର ସତ୍ୟତା ଲୋକଲୋଚନକୁ ଆସିଲା । ପ୍ରଭୁଦୟାଲ୍‌ଙ୍କ ସହାୟତାରେ ଚାନ୍ଦମଣିଙ୍କ ପରିବାର ନିଜର ପୈତୃକ ସମ୍ପତ୍ତି ଫେରି ପାଇଲେ । ନଟବର ଦାସଙ୍କୁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଗଲା ଏବଂ ତାଙ୍କୁ କଠୋର କାରାଦଣ୍ଡ ମିଳିଲା । ତାଙ୍କର ଚାକିରି ଗଲା, ସମାଜରେ ମାନ-ସମ୍ମାନ ଧୂଳିସାତ୍ ହେଲା ଏବଂ ସେ ସର୍ବସ୍ୱାନ୍ତ ହେଲେ । ପାପର ଘଡ଼ା ପୂର୍ଣ୍ଣ ହୋଇଗଲା ପରେ ଆଇନର ଜୟ ଫଳରେ ସମସ୍ତ କୁକର୍ମର ପର୍ଦ୍ଦାପାସ୍‍ ହୋଇଛି ଓ ଦଣ୍ଡବିଧାନ କରାଯାଇଛି ।

 

ଉପନ୍ୟାସର ଶେଷ ଭାଗଟି ଅତ୍ୟନ୍ତ ଭାବପୂର୍ଣ୍ଣ । ଜେଲରେ ଥିବା ସମୟରେ ନଟବରଙ୍କୁ ନିଜର ଭୁଲ୍ ଅନୁଭବ ହେଲା । ଯେଉଁ ଅର୍ଥ ପାଇଁ ସେ ପାଗଳ ଥିଲେ, ସେହି ଅର୍ଥ ତାଙ୍କୁ କୌଣସି ଶାନ୍ତି ଦେଇପାରିଲା ନାହିଁ । ସେ ଅନୁଭବ କଲେ ଯେ ସମ୍ପର୍କର ମୂଲ୍ୟ ଧନଠାରୁ ବହୁତ ବଡ଼ । ଏହି ଅନୁତାପ ହିଁ ଉପନ୍ୟାସକୁ ନୂତନ ଉଚ୍ଚତା ପ୍ରଦାନ କରିଛି ।

 

ଉପସଂହାର :

 

ଉପନ୍ୟାସର ଶେଷ ଭାଗରେ ନଟବର ଦାସଙ୍କ ପରି ଜଣେ ଅତ୍ୟନ୍ତ ଚତୁର ଓ ଲୋଭୀ ବ୍ୟକ୍ତି, ଯିଏ ନିଜ ସମ୍ପର୍କୀୟଙ୍କୁ ଠକି ସମ୍ପତ୍ତି ହଡ଼ପ କରିବାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ରଖିଥିବା ବେଳେ ଶେଷରେ ଆଇନର ଜାଲରେ ଛନ୍ଦି ହୋଇଯାଆନ୍ତି । ଏହା ଦର୍ଶାଏ ଯେ ଅଧର୍ମରେ ଅର୍ଜିତ ଧନ ଓ କପଟତା ଦ୍ୱାରା ପ୍ରତିଷ୍ଠିତ ସଫଳତା କେବେ ବି ସ୍ଥାୟୀ ହୋଇନଥାଏ । ନଟବରଙ୍କ ପତନ କେବଳ ଜଣେ ବ୍ୟକ୍ତିର ପରାଜୟ ନୁହେଁ, ବରଂ ଏହା ସମାଜରେ ଥିବା ସ୍ୱାର୍ଥପରତା ଓ କୁଟିଳତା ବିରୋଧରେ ସତ୍ୟ ଓ ନ୍ୟାୟର ଏକ ବଡ଼ ବିଜୟ ।

 

ଜେଲର ନିର୍ଜନ ଅନ୍ଧକାର ପ୍ରକୋଷ୍ଠ ମଧ୍ୟରେ ନଟବରଙ୍କ ଭିତରେ ଥିବା ସେହି ଅହଂକାରୀ 'ମାମୁ'ର ଅନ୍ତ ଘଟେ ଏବଂ ଜଣେ ଅନୁତପ୍ତ ମଣିଷର ଜନ୍ମ ହୁଏ । ସେଠାରେ ସେ ନିଜର ଅତୀତର ସମସ୍ତ ଭୁଲ୍‌କୁ ଗୋଟି ଗୋଟି କରି ମନେ ପକାନ୍ତି ଏବଂ ତାଙ୍କର ବିବେକ ତାଙ୍କୁ ଦଂଶନ କରେ । ଏହି ମନସ୍ତାତ୍ତ୍ୱିକ ପରିବର୍ତ୍ତନ ହିଁ କାହାଣୀର ସବୁଠାରୁ ଗଭୀର ଦିଗ, ଯେଉଁଠି ମଣିଷ ନିଜର ପାପ ପାଇଁ ଅନୁତାପର ନିଆଁରେ ଜଳି ପ୍ରାୟଶ୍ଚିତ କରିବାକୁ ଚାହେଁ । ନଟବରଙ୍କ ଏହି ଅନୁତାପ ପାଠକ ମନରେ ତାଙ୍କ ପ୍ରତି ଏକ ପ୍ରକାରର କରୁଣା ସୃଷ୍ଟି କରେ ।

 

ଅନ୍ୟ ପକ୍ଷରେ, ସରଳତା ଓ କ୍ଷମା କରିବାର ଗୁଣ ହିଁ ମଣିଷକୁ ପ୍ରକୃତରେ ମହାନ କରିଥାଏ ବୋଲି ପ୍ରତିପାଦିତ ହୋଇଛି । ନଟବରଙ୍କ ଦ୍ୱାରା ଅସଂଖ୍ୟ ନିର୍ଯାତନା ପାଇବା ପରେ ଏବଂ ସର୍ବସ୍ୱ ହରାଇବା ପରେ ମଧ୍ୟ ଭଣଜାଙ୍କ ହୃଦୟରେ ନିଜ ମାମୁଙ୍କ ପାଇଁ କୌଣସି ଘୃଣା ନଥିଲା । ଜେଲରେ ଥିବା ଅସହାୟ ମାମୁଙ୍କ ଅବସ୍ଥା ଦେଖି ଭଣଜାଙ୍କ ଆଖିରେ ଲୁହ ଆସିଯିବା ସ୍ପଷ୍ଟ କରେ ଯେ ସମ୍ପର୍କର ପବିତ୍ରତା ଆଗରେ ସମ୍ପତ୍ତିର ମୋହ ଅତି ତୁଚ୍ଛ । ପାରିବାରିକ ସ୍ନେହ ଓ ସମ୍ବେଦନଶୀଳତା ହିଁ ଆମ ସମାଜର ପ୍ରକୃତ ସମ୍ବଳ ।

 

ଉପନ୍ୟାସଟି ମଧ୍ୟ ଦର୍ଶାଇ ଦିଏ ଯେ ପାଶ୍ଚାତ୍ୟ ଶିକ୍ଷା ଓ ସରକାରୀ ପଦପଦବୀ ପାଇବା ପରେ ମଧ୍ୟ କିଛି ଲୋକ ନିଜର ମୂଲ୍ୟବୋଧ ହରାଇ ବସନ୍ତି ଏବଂ ନିଜର ଆତ୍ମୀୟମାନଙ୍କୁ ଶୋଷଣ କରନ୍ତି । କିନ୍ତୁ ସବୁ ପରିବର୍ତ୍ତନ ସତ୍ତ୍ୱେ, ଆମର ସାମାଜିକ ପରମ୍ପରା ଓ ଧାର୍ମିକ ବିଶ୍ୱାସ ଆମକୁ ସଠିକ୍ ପଥ ଦେଖାଇଥାଏ । ମଣିଷ ଯେତେ ବଡ଼ ପଦବୀରେ ରହିଲେ ମଧ୍ୟ ନିଜର ଚରିତ୍ର ଓ ମାନବିକତା ହରାଇ ଦେଲେ ତା’ର ପତନ ଅନିବାର୍ଯ୍ୟ ବୋଲି ଉପନ୍ୟାସଟି ସତର୍କ ସୂଚନା ପ୍ରଦାନ କରେ ।

Image